ମାନବ ସଭ୍ୟତାର ବିକାଶ ଓ ଅଗ୍ରଗତି ଭିତରେ ମଣିଷ ଜୀବନର ସଂଜ୍ଞା ବୁଝିବାକୁ ଚେଷ୍ଟା କରି ଆସୁଛି। ବସ୍ତୁବାଦୀ ଜୀବନ ଭିତରେ ଖୋଜୁଛି ଶାନ୍ତି ଓ ସମୃଦ୍ଧି। କିନ୍ତୁ ପ୍ରକୃତରେ ଶାନ୍ତି ଓ ସମୃଦ୍ଧି କଣ ଏକାଠି ମଣିଷ ପାଇପାରେ। ଆଶା ଆକାଂକ୍ଷାର ଅନ୍ତରେ ଶାନ୍ତିର ପ୍ରାପ୍ତି ହେବ, ଅଥଚ ସମୃଦ୍ଧି! ସେ ତ ନୂଆ ଆଶା ଆକାଂକ୍ଷାର ସଂଚରଣ କରିବ ନିଶ୍ଚିତ। ଏହି ଦ୍ଵନ୍ଦ ଭିତରେ ଆଜିର ବସ୍ତୁବାଦୀ ମଣିଷ ସଠିକ ଦିଗ ଅନ୍ୱେଷଣ କରୁଥିବା ବେଳେ ବିନା ଦ୍ଵନ୍ଦରେ ଯୁଗଯୁଗରୁ ପ୍ରକୃତି କୋଳରେ ଖୁବ ସରଳ ଜୀବନଯାପନ କରି ବେସ ଆନନ୍ଦର ସହ ବଂଚି ଆସୁଅଛନ୍ତି ଅନେକ ଆଦିମ ଜନଜାତର ମଣିଷ। କାଲି ପାଇଁ ଚିନ୍ତା ନକରି ଆଜିର ପ୍ରତି ମୁହୂର୍ତ୍ତକୁ ମନ ଭରି ଜିଉଁଥାନ୍ତି ସେମାନେ। ମିଛ ମୋହ ତାଙ୍କୁ କେବେ କବଳିତ କରିପାରେନା। ସେମାନେ ବିଶ୍ବାସ କରନ୍ତି କେବଳ ପ୍ରେମରେ। ସ୍ନେହ ବାଣ୍ଟିଦେଇ ନିଜର କରିଦେଇପାରନ୍ତି କେଇଟା ମୁହୂର୍ତ୍ତରେ। ଆଜିର ମଣିଷ ବସ୍ତୁବାଦୀ ବିକାଶରେ ସୁଖ ଖୋଜୁଥିବାବେଳେ ଆଦି ଭୂମିର ଏହି ଜନଜାତିର ମଣିଷ ବୁଝେ ସାଂସ୍କୃତିକ ବିକାଶ ହିଁ ମାନବ ଜୀବନର ଅସଲି ବିକାଶ। ଇତିହାସର ଏନ୍ତୁଡ଼ିଶାଳରୁ ମାନବ ସଭ୍ୟତାର ଯେଉଁ ଧାରାଟିଏ ବହି ଆସିଛି ତାରି ଭିତରେ ଏଇ ସରଳ ମଣିଷମାନେ ଏଯାବତ ପ୍ରକୃତିର ହୋଇ ପ୍ରକୃତିକୁ ବଞ୍ଚେଇ ଜୀବନଯାପନ କରିଆସୁଛନ୍ତି। ଭାରତରେ ଅନେକ ଆଦିବାସୀ ଜନଜାତି ରହିଛନ୍ତି। ପ୍ରତ୍ୟେକଟି ଜାତିର ରହିଛି ବୌଦ୍ଧିକ, ସାଂସ୍କୃତିକ ଓ ଚାଲି ଚଳଣିଗତ ସ୍ୱତନ୍ତ୍ରତା। ଜନଜାତୀୟ ଅଧ୍ୟୟନ ଜଣେ ବସ୍ତୁବାଦୀ ମଣିଷକୁ ମାନବତାର ଶିକ୍ଷା ଦେବାକୁ ଯଥେଷ୍ଟ ।ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଭଳି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଅଛନ୍ତି ଅନେକ ବିରଳ ଆଦିମ ଜନଜାତି ।
ସୌରା ଜନଜାତିର ସାଂସ୍କୃତିକ ପୃଷ୍ଠଭୂମି
ଧରା ପୃଷ୍ଠରେ ବାସ କରୁଥିବା ଏହି ପ୍ରକୃତିର ସନ୍ତାନ ମାନଙ୍କ ଭିତରେ ଆମ ରାୟଗଡ ଜିଲ୍ଳାରେ ଦେଖାଯାଆନ୍ତି ଦୁଇଟି ବିରଳ ଜନଜାତି। ସେମାନେ ହେଲେ ଡଙ୍ଗରିଆ କନ୍ଧ ଏବଂ ସୌରା। ମୂଳତଃ ଗୁଣପୁର ଅଞ୍ଚଳରେ ସୌରା ମାନେ ବସବାସ କରନ୍ତି। ସୌରା ଜନଜାତିରେ ଚାରି ପ୍ରକାରର ସୌରା ଦେଖାଯାଆନ୍ତି। ଯେଉଁମାନେ ବାହୁରେ, ବେକରେ, କଚିରେ ମାଳି ପିନ୍ଧନ୍ତି ସେମାନଙ୍କୁ ମାଳିଆ ସୌରା ବୋଲି କୁହାଯାଏ। ଲାଞ୍ଜିଆ ସୌରା ସମ୍ପ୍ରଦାୟର ବେଶ ପୋଷାକରୁ ଖୁବ ବାରି ହୋଇପଡନ୍ତି। ଏମାନେ ପିନ୍ଧୁଥିବା ଲେଙ୍ଗୁଟି ଆଗପଛ ଉଭୟ ପଟରେ ଲାଞ୍ଜ ଭଳି ଲମ୍ବି ରହିଥାଏ ତେଣୁ ଲାଞ୍ଜିଆ ସୌରା କୁହାଯାଏ। ଏହା ସହ ସେମାନେ କାଠ ଅଳଙ୍କାର ମଧ୍ୟ ବ୍ୟବହାର କରନ୍ତି। ଏହି ଲାଞ୍ଜିଆ ସୌରାଙ୍କୁ ପ୍ରାଚୀନ ସୌରା ଜାତି କୁହାଯାଏ। ଖୁବ ରକ୍ଷଣଶୀଳ ଏହି ଜନଜାତି ଏଯାବତ ବିକାଶ ଦିଗରେ ସଂଗ୍ରାମରତ ଅଛି। ଏହା ସହ ଆଉ ଦୁଇ ପ୍ରକାର ସୌରା ହେଉଛନ୍ତି ଶୁଦ୍ଧ ସୌରା ଏବଂ କାମ୍ପୁ ସୌରା। ଗୁଣପୁର ଅଞ୍ଚଳ ବ୍ୟତୀତ ପୃଥିବୀର ଅନ୍ୟ କୌଣସି ଜାଗାରେ ଏହି ଜନଜାତିର ଆଦିବାସୀ ଥିବା ଜଣାଯାଏ ନାହିଁ। ଏକଦା ଅଜଣା ଅଶୁଣା ହୋଇ ରହିଥିବା ଏହି ବିରଳ ଜନଜାତି କିନ୍ତୁ ବର୍ତ୍ତମାନ ବିଶ୍ୱ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟ ରାଜଧାନୀର ବିଭିନ୍ନ ଅଫିସ କାନ୍ଥରେ ଅଙ୍କା ହୋଇଥିବା ଇଡିତାଲ ଚିତ୍ର ଏଇ ଜନଜାତିର ସ୍ୱତନ୍ତ୍ର ଚିତ୍ରକଳା, ଯେଉଁଥିରେ ପ୍ରତୀକାତ୍ମକ ଭାବେ ସେମାନଙ୍କ ଜୀବନ ଶୈଳୀ ଅଙ୍କା ଯାଇଥାଏ। ମୁଖ୍ୟତଃ ବୃତାକାର, ଆୟତାକାର ଓ ତ୍ରିଭୁଜାକାରରେ ଏହି ଚିତ୍ର ସବୁ ଅଙ୍କାଯାଇଥାଏ। ଏହି ଚିତ୍ର ସବୁରୁ ଖୁବ ଅନୁମାନ କରିହୁଏ ସୌରା ଜନଜାତିର ଗାଣିତିକ, ଜ୍ୟାମିତିକ ଧାରଣା କେତେ ଗଭୀର। ଇଡିତାଲ ଚିତ୍ର ହିଁ ଏହାର ବଳିଷ୍ଠ ପ୍ରମାଣ। ଏହି ଜନଜାତି ଉପରେ ଓ ଇଡିତାଲ ଚିତ୍ରକଳା ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ବର୍ତ୍ତମାନ ଆମେରିକାରେ ପ୍ରଦର୍ଶିତ ହୋଇ ଖୁବ ପ୍ରଶଂସା ସାଉଁଟିଥିବା ସହ ଏହି ଜନଜାତିକୁ ବିଶ୍ୱ ସ୍ତରରେ ଆହୁରି ପରିଚିତ କରିପାରିଛି। ଆଦିମ ଯୁଗରୁ ସ୍ୱାବଲମ୍ବୀ ଏହି ଜନଜାତିର ଲୋକେ ନିଜେ ସୂତା କାଟି ଲୁଗା ବୁଣନ୍ତି। ଗୋଷ୍ଠୀଗତ ଜୀବନ ଯାପନ କରୁଥିବା ସୌରା ଜନଜାତିର ସାମାଜିକ ବ୍ୟବସ୍ଥା ଖୁବ ସୁନ୍ଦର ଓ ସରଳ। ଅନ୍ୟ ଆଦିବାସୀ ପ୍ରଥା ସମେତ ଏମାନଙ୍କର ଏକ ସ୍ୱତନ୍ତ୍ର ବିଧବା ବିବାହ ପ୍ରଥା ମଧ୍ୟ ପ୍ରଚଳିତ।
ଶବର ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ସମ୍ପର୍କ
ଯେକୌଣସି ଆଦିମ ଜନଜାତି ବିଷୟରେ ଗବେଷଣା କଲେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସେ। ମୂଳତଃ ସେମାନଙ୍କ ଚାଲିଚଳଣି, ଲୋକ ବିଶ୍ୱାସ, ସଂସ୍କୃତି, ପୂଜା ପାଠ, ଲୋକଦେଵତା ଇତ୍ୟାଦି ଖୁବ ସ୍ୱତନ୍ତ୍ର। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଓଡ଼ିଶାର ଅନେକ ଆଦିବାସୀ ସମ୍ପ୍ରଦାୟର ଦାରୁ ପୁଜା। ଦାରୁ ରୂପେ ସେମାନେ ବ୍ରହ୍ମଙ୍କୁ ଜଗନ୍ନାଥଙ୍କ ପ୍ରତୀକ ଭାବେ ପୂଜା କରନ୍ତି। ଏହି ସୌରା ଜନଜାତି ସହ ମଧ୍ୟ ଜଗନ୍ନାଥ ସଂସ୍କୃତିର ସମ୍ପର୍କ ଖୁବ ନିବିଡ଼। ଓଡ଼ିଶାର କୂଳ ଦେବତା ଶ୍ରୀଜଗନ୍ନାଥ ଯେତେବେଳେ ନୀଳମାଧବ ରୂପେ ପୂଜା ପାଉଥିଲେ ସେତେବେଳେ ଶବର ରାଜା ବିଶ୍ୱାବସୁ ଥିଲେ ତାଙ୍କ ଏକମାତ୍ର ଏବଂ ପରମ ସେବକ। ତେଣୁ ଶବର ମାନେ ଜଗନ୍ନାଥଙ୍କ ଆଦ୍ୟ ଉପାସକ। ଓଡ଼ିଶାର ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଏହାର ମୌଳିକ ସ୍ୱରୂପ ଶବର ସଂସ୍କୃତିରେ ଉପଲବ୍ଧ ହୁଏ। ଶ୍ରୀଜଗନ୍ନାଥ ସମନ୍ୱୟ ଓ ସଂହତିର ପ୍ରତୀକ, ସଉରା ମାନଙ୍କ ରୀତିନୀତିରେ ଏହି ବିଚାରବୋଧ ଦେଖାଯାଇଥାଏ। କେବଳ ଏତିକି ନୁହେଁ ଶବର ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ସମନ୍ୱୟରେ ଗଢ଼ା କୋରାପୁଟକୁ ଶାବର ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ। କୋରାପୁଟ ଜଗନ୍ନାଥ ମନ୍ଦିରରେ ସୌରା ମାନଙ୍କ ଦେବତା ଅକ୍ଷରବ୍ରହ୍ମଙ୍କ ମାତାରବନାମ ମନ୍ଦିର ମଧ୍ୟ ସ୍ଥାପନ କରି ପୂଜାର୍ଚ୍ଚନା କରାଯାଉଅଛି। ତେଣୁ ଇତିହାସକୁ ଅବଲୋକନ କଲେ ଏହି ଜନଜାତିର ସମୃଦ୍ଧ ସଂସ୍କୃତି ବାବଦରେ ଖୁବ ବୁଝିହୁଏ। ତେବେ ଆହୁରି ରୋଚକ ଲାଗେ ଯେତେବେଳେ ଆଲୋଚନା ହୁଏ ସୌରା ଜନଜାତିର ମୂଳ ଦେବତା ଭାବେ ବର୍ତ୍ତମାନ ପୂଜା ପାଉଥିବା "ଅକ୍ଷର ବ୍ରହ୍ମ"ଙ୍କ ବିଷୟରେ। ଓଡ଼ିଶାରେ ପୂଜା ପାଆନ୍ତି ତିନି ବ୍ରହ୍ମ, ଦାରୁ ବ୍ରହ୍ମ, ଶୁନ୍ୟ ବ୍ରହ୍ମ ଓ ଅକ୍ଷର ବ୍ରହ୍ମ । ପୁରୀରେ ଜଗନ୍ନାଥଙ୍କୁ ଦାରୁ ବ୍ରହ୍ମ ଭାବେ ପୂଜା କରାଯାଉଥିବା ବେଳେ ଜୋରନ୍ଦାରେ ମହିମା ଧର୍ମାବଲମ୍ବୀ ମାନେ ଶୁନ୍ୟ ବ୍ରହ୍ମ ଆକାରରେ ସେହି ପରମ ପୁରୁଷଙ୍କୁ ଆରାଧନା କରୁଥିବା ବେଳେ ସୌରା ଜାତିର ଲୋକମାନେ ଅକ୍ଷରକୁ ବ୍ରହ୍ମ ଭାବେ ପୂଜା କରନ୍ତି । ଯଦିଓ ଏସମସ୍ତ ଧର୍ମର ପୂଜା ପଦ୍ଧତି ଭିନ୍ନ କିନ୍ତୁ ସମସ୍ତେ ଏକ ବ୍ରହ୍ମରେ ବିଶ୍ୱାସ କରନ୍ତି। ରାୟଗଡ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପଦ୍ମପୁର ନିକଟବର୍ତ୍ତୀ ମରିଚଗୁଡା ଗ୍ରାମରେ ପଥର ଉପରେ ଆପେ ଆପେ ଆବିର୍ଭାବ ହୋଇଛନ୍ତି ଏହି ଅକ୍ଷର ବ୍ରହ୍ମ। କିଛି ଅକ୍ଷରଙ୍କୁ ବ୍ରହ୍ମ ଭାବେ ପୂଜା କରିବା ଓ ଏହି ଅକ୍ଷର ସବୁରୁ ଗୋଟେ ଜନଜାତିର ଲିପି ସୃଷ୍ଟି ହେବା ଓ ଉକ୍ତ ଜାତି ଜ୍ଞାନାଲୋକ ଦେଖିବା ରୋଚକ ତଥା ବିଶେଷ ଗବେଷଣାର ବିଷୟ ମନେହୁଏ। ଏହା ପଛର ଇତିହାସ ଯେତିକି ରୋଚକ ସେତିକି ଗଭୀର। ତେବେ ଆଦିବାସୀଙ୍କ ଏହି ଅକ୍ଷର ବ୍ରହ୍ମ ଉପାସନାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ଅକ୍ଷର ବ୍ରହ୍ମ ଯାତ୍ରା। ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ସୌରା ଜନଜାତିର ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଅକ୍ଷରବ୍ରହ୍ମ ପୀଠକୁ ଏହି ଜନଜାତିର ତୀର୍ଥ କ୍ଷେତ୍ର କୁହାଯାଏ।
ଅକ୍ଷର ବ୍ରହ୍ମଙ୍କ ଉତ୍ପତ୍ତି ଓ ଲିପିର ବିକାଶ
ଅନାଦି କାଳରୁ ବାସ କରୁଥିବା ଏହି ଜନଜାତି ଅନେକ ଲୋକ ଦେବତାଙ୍କୁ ପୂଜା କରନ୍ତି। ଧର୍ତ୍ତି ଦେବତା, ଧର୍ମୁ ଦେବତା, ଆକାଶ ଦେବତା ଇତ୍ୟାଦିଙ୍କୁ ପୂଜା କରି ଆସୁଛନ୍ତି। ତେବେ ଏକ ବିଶେଷ ଘଟଣା ଘଟିଥିଲା ୧୯୩୬ june 18ମସିହାରେ। ସୌରା ଜନଜାତିର ବିଶିଷ୍ଟ ସାଧକ ମଙ୍ଗେଇ ଗମାଙ୍ଗ ତପସ୍ୟାରତ ଥିଲେ। ତପସ୍ୟା ବଳରେ ସେ ଅକ୍ଷର ବ୍ରହ୍ମଙ୍କୁ ପାଇଥିଲେ ବୋଲି କିମ୍ବଦନ୍ତୀ କୁହେ। ସାଧକ ମଙ୍ଗେଇ ଗମାଙ୍ଗ ଅଲୌକିକ ଘଟଣାକ୍ରମରେ ମରିଚଗୁଡା ସ୍ଥିତ ପାହାଡ଼ ଉପରେ ତପସ୍ୟାରେ ଦିବ୍ୟ ଆଲୋକ ଦର୍ଶନ କରି ଅକ୍ଷର ବ୍ରହ୍ମ ଆବିର୍ଭାବ ହେବାର ସୂଚନା ପାଇଥିଲେ, ତପସ୍ୟା ଶେଷ କରି ଉକ୍ତ ସ୍ଥାନକୁ ଯାଇ ଦେଖନ୍ତି ତ ଓଁକାର ଭିତରେ ଚବିଶିଟି ଅକ୍ଷର ପଥର ଉପରେ ଅଙ୍କା ହୋଇ ରହିଛନ୍ତି। ସେହିଦିନଠାରୁ ଉକ୍ତ ଅକ୍ଷର ଗୁଡିକୁ ଅକ୍ଷର ବ୍ରହ୍ମ ଭାବେ ପୂଜା କରାଯାଇ ଆସୁଅଛି। ପରବର୍ତ୍ତୀ ସମୟରେ ଚବିଶି ଅକ୍ଷର ଓ ଦଶ ସଂଖ୍ୟାକୁ ନେଇ ଲିପିର ବିକାଶ କରାଗଲା। ଏହାକୁ "ସୌରା ସୋମ୍ପେଙ୍ଗ" କୁହାଯାଏ। ଯେଉଁଠାରେ ଅକ୍ଷର ବ୍ରହ୍ମଙ୍କ ଉତ୍ପତ୍ତି ହୋଇଥିଲା ସେଠାରେ ମନ୍ଦିର ଗଢ଼ାଗଲା ଯାହାକୁ "ମାତାରବନାମ" ମନ୍ଦିର କୁହାଯାଏ।
ଅକ୍ଷରବ୍ରହ୍ମ ସାଧକ ଓ ପ୍ରଚାରକଙ୍କ ଅବଦାନ
୧୬ ଜୁନ ୧୯୧୬ରେ ପଦ୍ମପୁର ନିକଟସ୍ଥ ଏକ ନିକାଂଚନ ସୌରା ପଲ୍ଲୀ ମରିଚଗୁଡାଠାରେ ଜନ୍ମିତ ମଙ୍ଗେଇ ଗମାଙ୍ଗ ସାରା ବିଶ୍ୱରେ ସୌରା ଲିପିର ଉଦ୍ଭାବକ ଭାବେ ପରିଚିତ। ସେ ଜଣେ ଆୟୁର୍ବେଦ ବୈଦ୍ୟ ଥିଲେ ବୋଲି ଲୋକ ମୁଖରୁ ଜଣାଯାଏ। ଜ୍ଞାନୀ ସନ୍ଥ ମଙ୍ଗେଇ ଥିଲେ ସୌରା ମାନଙ୍କ କ୍ରାନ୍ତି ପୁରୁଷ ଓ ମହାନ ସଂସ୍କାରକ। ତାଙ୍କରି ନେତୃତ୍ୱରେ ଏହି ଜନଜାତି ଦେଖିଥିଲା ଏକ ନୂତନ ବୌଦ୍ଧିକ କ୍ରାନ୍ତି। ପାହାଡ଼ର ନିର୍ଜନ ସ୍ଥଳୀରେ ସେ ତପସ୍ୟାରେ ମଗ୍ନ ଥିବାବେଳେ ସେ ଏକ ଦିବ୍ୟ ଆଲୋକର ଅନୁଭବ କରିଥିଲେ। ସେଦିନ ଥିଲା ୧୯୩୬ ମସିହା ଜୁନ ୧୮ ତାରିଖ, ତିଥି ଅନୁସାରେ ବୈଶାଖ ଶୁକ୍ଳ ତୃତୀୟା। ହିନ୍ଦୁ ପରମ୍ପରାରେ ଏହାକୁ ଅକ୍ଷୟ ତୃତୀୟା ଏବଂ କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାରେ ଅଖି ତୃତୀୟା କୁହାଯାଏ। ଏହିଦିନ କ୍ଷେତରେ କୃଷକ କୁଳ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟ ଆରମ୍ଭ କରନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରାର ଅନୁକୂଳ ତିଥି ଏହି ଅକ୍ଷୟ ତୃତୀୟା। ସଂଯୋଗ କ୍ରମେ ଏହିଦିନ ମାତାର ବନାମଙ୍କ ଦିବ୍ୟ ଦର୍ଶନ ଲାଭ କରିଥିବାରୁ ଏହି ଅକ୍ଷୟ ତୃତୀୟାକୁ ଅକ୍ଷରବ୍ରହ୍ମଙ୍କ ଆବିର୍ଭାବ ଦିବସ ରୁପେ ପାଳନ କରାଯାଏ। ଏହି ମହାନ ସାଧକ ତାଙ୍କର ମୁଖ୍ୟ ପୂଜକ ଭାବେ ଉପାସନା କରି ସୌରା ମାନଙ୍କ ଭିତରେ ସାଧୁତା, ମାନବଵାଦୀ ହେବାର ଗୁଣ ପରିପ୍ରକାଶ କରାଇପାରିଥିଲେ। ତାଙ୍କର ପ୍ରବର୍ତ୍ତିତ ଅଭିନବ ମତକୁ ସେ "ମାତାରବନାମ ଡମ୍ରୀ" ନାମରେ ନାମିତ କରିଥିଲେ। ଶୁଦ୍ଧ ଆଚରଣ ଓ ଶୁଦ୍ଧ ଜ୍ଞାନ ଦ୍ୱାରା ଜଣେ ଭଲ ମଣିଷ ହୋଇପାରିବ ଏହି ବାର୍ତ୍ତା ସେ ଲୋକଙ୍କୁ ଦେଉଥିଲେ। ଏକାଧାରରେ ତାଙ୍କୁ ସୌରା ଜନଜାତିର ବୁଦ୍ଧ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଜୀବନ ବ୍ୟାପି ସାଧନା କରି ତପସ୍ୟା ବଳରେ ସେ ପ୍ରାପ୍ତ କରିଥିବା ଅକ୍ଷରକୁ ଆହୁରି ବିକଶିତ କରି ପ୍ରଚାର ପ୍ରସାର ଆରମ୍ଭ କରିଥିଲେ। ଏହା ପୂର୍ବରୁ ସୌରା ଜନଜାତିର ନିଜସ୍ୱ କଥିତ ଭାଷା ଥିଲେ ବି କୌଣସି ନିଜସ୍ୱ ଲିପି ନଥିଲା ଯେଉଁଥିପାଇଁ ସେମାନେ ଅନ୍ୟ ଭାଷାର ଲିପିକୁ ହିଁ ବ୍ୟବହାର କରିଆସୁଥିଲେ। କିନ୍ତୁ ସୌରା ସୋମ୍ପେଙ୍ଗର ଉଦ୍ଭାବନ ପରେ ଏ ଜାତି ନୂଆ ଆଲୋକ ଦେଖିଲା। ଲିପିର ଆହୁରି ପ୍ରଚାର ପ୍ରସାର ପାଇଁ ମଙ୍ଗେଇ ଗମାଙ୍ଗ ଗୁଣପୁର ଉପଖଣ୍ଡର ଡମ୍ବସରାଠାରେ ଏକ ଛାପାକଳ ବସେଇ ସୌରା ଲିପିର ବହି, ନିମନ୍ତ୍ରଣ ପତ୍ର ଇତ୍ୟାଦି ଛାପିବାକୁ ଆରମ୍ଭ କଲେ। ନିଜ ସମ୍ପ୍ରଦାୟର ଲୋକଙ୍କ ସହଯୋଗରେ ସାରା ଭାରତରେ ଏହି ଲିପି ପହଂଚି ପାରିଥିଲା। ସୌରା ଲିପିର ଉଦ୍ଭାବକ ଭାବେ ତାଙ୍କ ପ୍ରତିମୂର୍ତ୍ତି ରାଜ୍ୟ ଆଦିବାସୀ ବିକାଶ ଅଫିସରେ ମଧ୍ୟ ସ୍ଥାପନ କରାଯାଇଛି। ଆଜି ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି, ବୈଷ୍ଣବ ମାନଙ୍କ ପରି ସେମାନେ ମଦ ମାଂସରୁ ନିବୃତ୍ତ ରହି ସରଳ ସାତ୍ଵିକ ଜୀବନଯାପନ କରୁଛନ୍ତି। ମଙ୍ଗେଇ ଗମାଙ୍ଗଙ୍କ ବିଚାର ଏକ ଜନଜାତିର ବହୁ ଜୀବନରେ ଅଦ୍ଭୁତ ପରିବର୍ତ୍ତନ ଆଣିଦେଇଛି ଦେଖିଲେ ଆତ୍ମା ବିଭୋର ହୋଇଉଠେ।
ପରବର୍ତ୍ତୀ ସମୟରେ ଲିପିର ପ୍ରଚାର ପ୍ରସାର କ୍ଷେତ୍ରରେ ପୁର୍ବତନ ମନ୍ତ୍ରୀ ଭାଗିରଥି ଗମାଙ୍ଗ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଶିଷ୍ଟ ଗବେଷକ ଗାବ୍ରିଏଲ ବୋୟା ଇତ୍ୟାଦିଙ୍କ ଅବଦାନ ଉଲ୍ଲେଖଯୋଗ୍ୟ। ଆଉ ଜଣେ ବିଶିଷ୍ଟ ସାଧକ ହେଲେ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗଙ୍କ ପୁଅ ଶବର ଗୁରୁ ଓରାନବିକ ଗମାଙ୍ଗ, ଯେ ପିତାଙ୍କ ମୃତ୍ୟୁ ପରେ ଅକ୍ଷର ବ୍ରହ୍ମ ମନ୍ଦିରର ପୂଜକ ଭାବେ ଓ ସୌରା ଜନଜାତିର ଗୁରୁ ଭାବେ ଦାୟିତ୍ୱ ଗ୍ରହଣ କଲେ। ବାପାଙ୍କ ପରି ସେ ମଧ୍ୟ ଥିଲେ ଜଣେ ନିଷ୍ଠାପର ସାଧକ। ତାଙ୍କ ନେତୃତ୍ୱରେ ଆହୁରି ବ୍ୟାପକ ହେଲା ଲିପିର ପ୍ରସାର। ବର୍ତ୍ତମାନ ସେ ମଧ୍ୟ ଇହଧାମ ତ୍ୟାଗ କରିଛନ୍ତି ଏବଂ ତାଙ୍କ ପୁତ୍ର ମାନେ ଏବେ ଗୁରୁ ଭାବେ ସମ୍ମାନ ପାଉଛନ୍ତି। ଇତି ମଧ୍ୟରେ ଓଡ଼ିଶା ମାଟିରେ ପାଦ ଦେଇଥଲେ ବିଶିଷ୍ଟ ସୌରା ଲିପି ଗବେଷକ ଗାବ୍ରିଏଲ ବୋୟା। ଯାହାଙ୍କ ସାଧନା ଯୋଗୁଁ ଆଜି ସୌରା ସୋମ୍ପେଙ୍ଗ ଏତେ ମାତ୍ରାରେ ପ୍ରଚାର ପ୍ରସାର ଲାଭ କରିଛି। ଗାବ୍ରିଏଲ ବୋୟାଙ୍କ ଜନ୍ମ ୧୯୪୬ ମସିହାରେ ଆସାମ୍ ରେ ହୋଇଥିଲା। ତାଙ୍କ ପରିବାର ଲୋକ ବଗିଚା କାମ ପାଇଁ ୧୮୮୨ ରେ ଆସାମ ଚାଲିଯାଇଥିଲେ। ଯେତେବେଳେ ସେ ନିଜ ଭାଷାର ମହାନତାକୁ ବୁଝିଲେ ସେ ୧୯୭୦ ମସିହାରେ ସଉରା ଭାଷା ଶିଖିଥିଲେ। ସେ ସମୟରେ ଗୁଡାଏ ବାଧାବିଘ୍ନର ସମ୍ମୁଖୀନ ହବାକୁ ପଢିଥିଲା। ଯେତେବେଳେ ସେ ନିଜ ବାପାଙ୍କ ସହ ନିଜ ଲୋକମାନଙ୍କୁ ଦେଖା କରିବା ପାଇଁ ଓଡ଼ିଶା, ଗଜପତି ଜିଲ୍ଲା ଚନ୍ଦ୍ରଗିରି-ଜିରାଙ୍ଗକୁ ୧୯୮୬ରେ ଆସିଥିଲେ, ସେ ପାଖାପାଖି ଦୁଇ ମାସ ଏଠାରେ ରହିଥିଲେ। ସେ ସମୟରେ ସେ ଶୁଣିବାକୁ ପାଇଥିଲେ ସଉରା ଲିପି ବିଷୟରେ। ଯେତେବେଳେ ସେ ଜାଣିଲେ ସଉରା ଭାଷାର ବ୍ୟବହାର କମିବାରେ ଲାଗିଛି, ଏ ବିଷୟରେ ଗବେଷଣା ଆରମ୍ଭ କରିଥିଲେ। ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା କିପରି ଭାଷାର ସୁରକ୍ଷା ହେବ ଏବଂ ଜାତିର ପରିଚୟ ବଞ୍ଚି ରହିବ। ସେହି ଦିନଠାରୁ ସଉରା ଲିପି ବିଷୟରେ ଦୀର୍ଘ ୪ ବର୍ଷ ଆସାମ ଫେରି ସେ ଗବେଷଣା କରିଥିଲେ ଏବଂ ସଉରା ଭାଷାର ମାହାତ୍ମ୍ୟକୁ ବୁଝି ୧୯୯୦ ଠାରୁ ଆସାମରେ ଏହାର ପ୍ରଚାର ପ୍ରସାର ଆରମ୍ଭ କରିଥିଲେ। ଦୀର୍ଘ ୧୦ ବର୍ଷ ସେଠାରେ କାର୍ଯ୍ୟ କଲା ପରେ ଅଧିକ ଗବେଷଣା ପାଇଁ ୨୦୦୧ ରେ ଓଡ଼ିଶା ଫେରିଆସିଥିଲେ। ଆଉ ୩ ବର୍ଷ ଗବେଷଣା କରି। ସମ୍ପୂର୍ଣ୍ଣ ଭାବରେ ପ୍ରଚାର ପ୍ରସାର ଆରମ୍ଭ କରିଥିଲେ। ଆସାମ, ତ୍ରିପୁରା, ଆନ୍ଧ୍ରପ୍ରଦେଶ, କୋଲକୋତା ଏବଂ ବଙ୍ଗଳାଦେଶ ଯାଇ ପ୍ରଚାର କରିଥିଲେ ଏବେ ମଧ୍ୟ କରୁଛନ୍ତି। ଏଯାବତ ସାରା ଭାରତରେ ତାଙ୍କର ହଜାର ହଜାର ଛାତ୍ରଛାତ୍ରୀ ଅଛନ୍ତି। ବର୍ତ୍ତମାନ ମଧ୍ୟ ବୟସର ପରିଣତ ଅବସ୍ଥାରେ ଲୋକମାନଙ୍କର ସହାୟତାରେ ସଉରା ଲିପି ଏବଂ ଭାଷାର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ଅନେକ ବହି ଲେଖି ସେ ଲିପି ଶିକ୍ଷା ଦେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ଗିରିଧର ଗମାଙ୍ଗଙ୍କ ସାନିଧ୍ୟରେ ଆସି ସୌରା ଲିପି ଓ ଅକ୍ଷର ବ୍ରହ୍ମଙ୍କ ବାବଦରେ ଅଧିକ ଜାଣିବାକୁ ମିଳିଥିଲା। ଗାବ୍ରିଏଲ ବୋୟାଙ୍କ ଅକ୍ଷର ଶିକ୍ଷା ବହି ପଢିବାକୁ ଦେଇ ଅନେକ ଥର ଆଲୋଚନା କରି ସବୁବେଳେ ଲିପି ଉପରେ ଲେଖିବାକୁ ପ୍ରେରଣା ଦେଇ ଆସୁଅଛନ୍ତି। ଲିପିର ପ୍ରଚାର ପ୍ରସାର ଦିଗରେ ଚକ୍ରପାଣି ଶବର, କୃଷ୍ଣ ଶବର ଇତ୍ୟାଦିଙ୍କ ଭୂମିକା ମଧ୍ୟ ଖୁବ ଗୁରୁତ୍ୱ ବହନ କରି ଆସିଛି। ବର୍ତ୍ତମାନ ଅନେକ ସଙ୍ଗଠନ ଲିପିର ପ୍ରଚାର ଦିଗରେ କାର୍ଯ୍ୟ କରୁଥିବା ବେଳେ ସୌରା ଶିକ୍ଷା ଯୁବ ସଂଗଠନ (SSYA) ରାୟଗଡା, ଗଜପତି ସମେତ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାରେ ନିଜର କାର୍ଯ୍ୟଧାରା ଜାରି ରଖିଛି ଏବଂ ସଫଳତା ଲାଭ କରିଛି। ଉକ୍ତ ଅନୁଷ୍ଠାନର ଉଦୀୟମାନ ଯୁବ ସଙ୍ଗଠକ ରୋନିତ ଶବର ବର୍ତ୍ତମାନ ଲିପିର ଡିଜିଟାଲ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱର ସହ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଲିପିର ଡିଜିଟାଲ ଅକ୍ଷର ମଧ୍ୟ ବିକଶିତ ହୋଇଛି ଏହା ଏକ ଖୁସିର ବିଷୟ। ୨୦୧୧ରୁ ଆଇଆଇଟି ଛାତ୍ରୀ ସୋନି ସଲିମା ଏହି ଲିପିର କମ୍ପ୍ୟୁଟର ଅକ୍ଷର ସୃଷ୍ଟି କରିବା ଦିଗରେ ବ୍ୟାପକ ଗବେଷଣା ଚଳେଇଛନ୍ତି। ଗୁରୁ କୃଷ୍ଣ ଶବର ଏ ଦିଗରେ ତାଙ୍କୁ ସହାୟତା କରିଛନ୍ତି। ଅନେକ ଯୁବ ଶିକ୍ଷିତ ସାଧକ ଏ ଦିଗରେ କାମ କରିବା ଏ ଜିଲ୍ଲା ପ୍ରତି ଏକ ଶୁଭ ସୂଚନା।
ଅକ୍ଷର ବ୍ରହ୍ମ ଯାତ୍ରା
ଆଦି ଭୂମିର ଏହି ଆଦି ଉପାସକ ମାନଙ୍କ ସ୍ୱତନ୍ତ୍ର ଉତ୍ସବ ହେଉଛି ଅକ୍ଷର ବ୍ରହ୍ମ ଯାତ୍ରା। ଚତୁର୍ଦିଗରେ ପାହାଡ଼ ଘେରା ମରିଚଗୁଡା ଗ୍ରାମରେ ପ୍ରତି ବର୍ଷ ଅକ୍ଷରବ୍ରହ୍ମ ପୀଠ ମାତାରବନାମ ମନ୍ଦିରରେ ଅକ୍ଷୟ ତୃତୀୟା ଦିନ ଅକ୍ଷରବ୍ରହ୍ମ ଯାତ୍ରା ଅନୁଷ୍ଠିତ ହୁଏ। ଏହିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଶବର ସମ୍ପ୍ରଦାୟର ଲୋକମାନେ ଏହି ପୀଠକୁ ଆସିଥାନ୍ତି। ପାରମ୍ପରିକ ବାଦ୍ୟରେ ଫାଟି ପଡୁଥାଏ ଅଂଚଳ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ସମେତ ଆସାମ ତଥା ଅନ୍ୟାନ୍ୟ ରାଜ୍ୟରେ ବାସ କରୁଥିବା ଶବର ସମ୍ପ୍ରଦାୟର ଲୋକଙ୍କ ଆଗମନ ହୋଇଥାଏ।
ଲୋକ ବିଶ୍ୱାସ ଓ ପୂଜାବିଧି
ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବର୍ଷକ ପାଇଁ ଏଠାରେ ପୂଜାପାଠ କରି ମାନସିକ କରିଥାନ୍ତି। ବିଶ୍ୱାସ ରହିଛି ଏଠାରେ ମାନସିକ କଲେ ନିଶ୍ଚିତ ପୂରଣ ହୁଏ। ଏହି ବିଶ୍ୱାସରେ ଅନେକ ଲୋକ ମୁଣ୍ଡନ ମଧ୍ୟ ହୋଇଥାନ୍ତି। ସୌରା ସମ୍ପ୍ରଦାୟର ଯେକୌଣସି ଛୁଆଙ୍କ ପ୍ରଥମ ମୁଣ୍ଡନ ଏହି ପୀଠରେ ସମାପନ ହୁଏ। ଏହା ଦ୍ୱାରା ଅକ୍ଷର ବ୍ରହ୍ମଙ୍କ ସମେତ ଅନ୍ୟ ଲୋକ ଦେବତା ମାନଙ୍କ ଶୁଭ ଦୃଷ୍ଟି ଛୁଆଙ୍କ ଉପରେ ପଡିବାର ବିଶ୍ୱାସ ରହିଛି। ନିର୍ଦ୍ଦିଷ୍ଟ ଶୁଭ ବେଳାରେ ଏହି ପୀଠରେ ଲୋକେ ଫୁଲ, ଚନ୍ଦନ, ପଞ୍ଚାମୃତ ସମେତ ନଡ଼ିଆ, କଦଳୀ ଏବଂ ଅନ୍ୟାନ୍ୟ ଫଳମୂଳ ଦେଇ ଅକ୍ଷରବ୍ରହ୍ମଙ୍କୁ ପୂଜାର୍ଚ୍ଚନା କରନ୍ତି। ପ୍ରାୟତଃ ଏହି ଜନଜାତିର ପୂଜା ପଦ୍ଧତି ହିନ୍ଦୁ ଦେବଦେବୀଙ୍କ ପୂଜା ପଦ୍ଧତି ସହ ସମାନତା ରହିଥାଏ। ଏକଦା ବଳି ପ୍ରଥାରେ ବିଶ୍ୱାସ କରୁଥିବା ଏହି ଜନଜାତିର ନୀତି ନିୟମରୁ ସମୟ କ୍ରମେ ବିଶେଷତଃ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗଙ୍କ ବାଣୀରେ ଉଦବୁଦ୍ଧ ହୋଇ ପଶୁବଳି ପ୍ରଥା ଉଛେଦ ହୋଇପାରିଛି। ଏଣୁ ମଙ୍ଗେଇ ଗମାଙ୍ଗଙ୍କୁ ଜଣେ ବିଶିଷ୍ଟ ସମାଜ ସଂସ୍କାରକ ବୋଲି ମଧ୍ୟ କୁହାଯାଇପାରେ। ଏଠାରେ ପୂଜା ପରେ ପାରମ୍ପରିକ ନୃତ୍ୟ ପରିବେଷଣ ହୁଏ। ଶ୍ରଦ୍ଧାଳୁଙ୍କ ଆଗମନ ଦେଖି ପ୍ରତିବର୍ଷ ଏହି ପୀଠରେ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥାଏ।
ଅକ୍ଷୟ ଅକ୍ଷର ବ୍ରହ୍ମ
ଅଜର, ଅମର, ଅକ୍ଷୟ ଦେବତା 'ଅକ୍ଷର ବ୍ରହ୍ମ'। ଅକ୍ଷରର କେବେ କ୍ଷୟ ନାହିଁ, ବ୍ରହ୍ମଙ୍କର ମଧ୍ୟ କେବେ କ୍ଷୟ ନାହିଁ। ମାନବ ସଭ୍ୟତାର ଆଦ୍ୟ ଉଚ୍ଚାରଣ ଏହି ବ୍ରହ୍ମଙ୍କୁ ହିଁ ତ ସମର୍ପିତ। ଓଁ କାର ଭିତରେ ଅକ୍ଷର ସମେତ ତାଙ୍କ ଆବିର୍ଭାବ ଏକ ନୂତନ ଯୁଗର ଅୟମାରମ୍ଭ ନିଶ୍ଚିତ। ସୌରା ଜନଜାତିର ପୀଠ ଦେବତା ଅକ୍ଷର ବ୍ରହ୍ମଙ୍କ ଦେହରେ ଥିବା ଅକ୍ଷର ଗୋଟେ ଜାତିକୁ ସାକ୍ଷର କରିପାରିବା ସହ ସଚୋଟ ଓ ସ୍ୱାବଲମ୍ବୀ କରାଇପାରିଛି ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ନିଜ ଜମିରୁ ଉତ୍ପାଦିତ ପ୍ରଥମ ଶସ୍ୟ ସୌରା ମାନେ ଭୂଦେବୀ ଓ ଅକ୍ଷର ବ୍ରହ୍ମଙ୍କୁ ସମର୍ପଣ କଲାପରେ ଯାଇ ନିଜେ ଗ୍ରହଣ କରିଥାନ୍ତି। ପ୍ରକୃତିକୁ ଓ ବ୍ରହ୍ମଙ୍କୁ ଧନ୍ୟବାଦ ଅର୍ପଣର ଏ ପରମ୍ପରା ଖୁବ ନିଆରା। ଆଦିବାସୀ ମାନେ ତନ୍ତ୍ର ବିଦ୍ୟାରେ ମଧ୍ୟ ପାରଙ୍ଗମ ଥିଲେ ଯାହାକୁ ଶାବରୀ ବିଦ୍ୟା କୁହାଯାଉଥିଲା। ସାମାଜିକ ଚଳଣି, ପରମ୍ପରା, ସଂସ୍କୃତି, ଚିତ୍ରକଳା, ବାଦ୍ୟ କଳା ଇତ୍ୟାଦି ଅନେକ କ୍ଷେତ୍ରରେ ଆଦିବାସୀ ମାନେ ଖୁବ ସ୍ୱତନ୍ତ୍ର। ଏମିତିକି ଅନେକ ପ୍ରଥା ପରମ୍ପରା ଯାହା ଓଡ଼ିଆ ସଂସ୍କୃତିରେ ମିଶି ଯାଇଛି ସେସବୁ ଏଇ ଆଦିବାସୀ ସମ୍ପ୍ରଦାୟରୁ ହିଁ ଆସିଥିବା ଅନେକ ଗବେଷଣା କୁହେ। ମୂର୍ତ୍ତି ପୂଜାର ଅସଂଖ୍ୟ ଉଦାହରଣ ଥିବା ବେଳେ ଅକ୍ଷର ପୂଜା କେବଳ ଏହି ସୌରା ଜନଜାତିର ଏକ ସ୍ୱତନ୍ତ୍ରତା। ସୌରା ସୋମ୍ପେଙ୍ଗ ବା ସୌରା ଲିପିର ଲକ୍ଷ ଲକ୍ଷ ବ୍ୟବହାରକାରୀ ଥିଲେ ମଧ୍ୟ ଏହା ସମ୍ବିଧାନରେ ସ୍ଥାନ ନପାଇବା ଏକ ବିଡମ୍ବନାର ବିଷୟ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅନେକ ଦାବି ଉପସ୍ଥାପନ କରାଯାଇଛି ମଧ୍ୟ। ଏହି ଲିପିକୁ ସମ୍ବିଧାନରେ ସ୍ଥାନିତ କରି ସ୍ୱୀକୃତି ଦେଲେ ବିରଳ ଜନଜାତିର ବିରଳ ସଂସ୍କୃତି ପ୍ରତି ଏକ ଉଚିତ ସମ୍ମାନ ହୋଇପାରନ୍ତା।
ରୁପେଶ କୁମାର ସାହୁ
ପଦ୍ମପୁର,ରାୟଗଡା

No comments:
Post a Comment